ଯୋଗ ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର

ପୃଷ୍ଠଭୂମି

ଯୋଗ ପ୍ରାଚୀନ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର। "ଯୋଗ" ଶବ୍ଦଟି ସଂସ୍କୃତ ଶବ୍ଦ "ୟୁଜ"ରୁ ଆସିଛି ଯାହାର ଅର୍ଥ "ଯୋଗ କରିବା", "ଯୋକ କରିବା" ବା "ଏକତ୍ର କରିବା", ଯାହା ମନ ଓ ଶରୀରର; ଚିନ୍ତା ଓ କାର୍ଯ୍ୟ; ସଂଯମ ଓ ପରିପୂର୍ଣ୍ଣତା; ମାନବ ଓ ପ୍ରକୃତି ମଧ୍ୟରେ ସାମଞ୍ଜସ୍ୟର ଏକତାକୁ ସୂଚାଇଥାଏ, ଏବଂ ଯାହା ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ଅଟେ। ଯୋଗ ରୋଗ ନିରାକରଣ, ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଏବଂ ଅନେକ ଜୀବନଶୈଳୀ ସମ୍ବନ୍ଧୀୟ ବିଶୃଙ୍ଖଳାର ପରିଚାଳନା ପାଇଁ ପରିଚିତ। ଏହାର ସାର୍ବଜନୀନ ଆବେଦନକୁ ଗ୍ରହଣ କରି 2014 ଡିସେମ୍ବର 11 ତାରିଖରେ ମିଳିତ ଜାତିସଙ୍ଘ ସାଧାରଣ ପରିଷଦ (UNGA) ଏକ ସଙ୍କଳ୍ପ (ରିଜୋଲ୍ୟୁସନ 69/131) ପାରିତ କରି ଜୁନ 21 ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ (IDY) ଭାବେ ଘୋଷଣା କରିଥିଲା।

ପୁରସ୍କାରର ଉଦ୍ଦେଶ୍ୟ

ମାନ୍ୟବର ପ୍ରଧାନମନ୍ତ୍ରୀ ଦ୍ଵିତୀୟ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦୁଇଟି ଯୋଗ ପୁରସ୍କାର ଘୋଷଣା କରିଥିଲେ, ଗୋଟିଏ ଜାତୀୟ ଓ ଗୋଟିଏ ଅନ୍ତର୍ଜାତୀୟ ଯାହା ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଦାନ କରାଯିବ। ଏହି ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଯୋଗର ପ୍ରୋତ୍ସାହନ ଏବଂ ବିକାଶ ମାଧ୍ୟମରେ ସମାଜରେ ଦୀର୍ଘ ସମୟ ଧରି ଉଲ୍ଲେଖନୀୟ ପ୍ରଭାବ ବିସ୍ତାର କରିଥିବା ବ୍ୟକ୍ତିବିଶେଷ/ସଙ୍ଗଠନମାନଙ୍କୁ ସମ୍ମାନିତ କରିବା।

ପୁରସ୍କାର ବିଷୟରେ

ଯୋଗର ବିକାଶ ଓ ପ୍ରୋତ୍ସାହନ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବାର ପ୍ରସ୍ତାବ ରହିଛି। ଏହି ଯୋଗଦାନକୁ ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ପ୍ରଦାନ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ଅନ୍ତର୍ଜାତୀୟ ଯୋଗ ଦିବସ (21 ଜୁନ୍) ଅବସରରେ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବ। ଜୁନ୍ 21 ତାରିଖକୁ ମିଳିତ ଜାତିସଙ୍ଘ ସାଧାରଣ ପରିଷଦ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ଘୋଷଣା କରାଯାଇଛି।

ପୁରସ୍କାରର ନାମକରଣ

ଯୋଗରେ ଉତ୍କୃଷ୍ଟ ଯୋଗଦାନ ଦେଉଥିବା ପ୍ରବକ୍ତାମାନଙ୍କୁ ସମ୍ମାନିତ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ 2016ରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗର ପ୍ରଚାର ଓ ବିକାଶ ପାଇଁ ପୁରସ୍କାର ଘୋଷଣା କରିଥିଲେ।

- ଜାତୀୟ ସ୍ତରରେ ଯୋଗ ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର (2ଟି)

- ଅନ୍ତର୍ଜାତୀୟ ସ୍ତରରେ ଯୋଗ ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର (2ଟି)

ବର୍ଗ

ଜାତୀୟ ଓ ଅନ୍ତର୍ଜାତୀୟ ଦୁଇଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଏ । ଯୋଗର ପ୍ରଚାର ପ୍ରସାର ତଥା ବିକାଶରେ ଉଲ୍ଲେଖନୀୟ ଅବଦାନ କରିଥିବା ସଂସ୍ଥାକୁ ଏହି ପୁରସ୍କାର ପ୍ରଦାନ କରାଯାଏ । ଏକ ନିର୍ଦ୍ଧିଷ୍ଟ ବର୍ଷରେ ବିଚାରକମଣ୍ଡଳୀ ଗୋଟିଏ କିମ୍ବା ଏକାଧିକ ବ୍ୟକ୍ତି/ସଂସ୍ଥାକୁ ପୁରସ୍କାର ଦେବା କିମ୍ୱା କାହାକୁ ମଧ୍ୟ ନଦେବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଯେଉଁ ସଂସ୍ଥା ଥରେ ପୁରସ୍କାର ପାଇଥିବ, ସେହି ସଂସ୍ଥାକୁ ସେହି ବର୍ଗରେ ପୁରସ୍କାର ପ୍ରଦାନ କରିବା ପାଇଁ ଆଉ ଥରେ ବିଚାରକୁ ନିଆଯିବ ନାହିଁ।

ଜାତୀୟ: ଯୋଗର ପ୍ରଚାର ଓ ବିକାଶରେ ଯୋଗଦାନ ପାଇଁ ଭାରତୀୟ ବଂଶୋଦ୍ଭବ ସଂସ୍ଥାଗୁଡ଼ିକୁ ଏହି ଦୁଇଟି ଜାତୀୟ ପୁରସ୍କାର ପ୍ରଦାନ କରାଯିବ।

ଅନ୍ତର୍ଜାତୀୟ: ବିଶ୍ୱବ୍ୟାପୀ ଯୋଗର ପ୍ରସାର ଏବଂ ବିକାଶରେ ଯୋଗଦାନ ପାଇଁ ଭାରତୀୟ କିମ୍ବା ବିଦେଶୀ ସଂସ୍ଥାଗୁଡ଼ିକୁ ଏହି ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯିବ।

ପୁରସ୍କାର

  • 2024 ଶେଷ ସୁଦ୍ଧା ବିଜେତାଙ୍କ ନାମ ଘୋଷଣା କରାଯିବ।
  • ବିଜେତାମାନଙ୍କୁ ଟ୍ରଫି, ମାନପତ୍ର ଏବଂ ନଗଦ ପୁରସ୍କାର ପ୍ରଦାନ କରାଯିବ
  • ଏହି ସମ୍ବର୍ଦ୍ଧନା ସମାରୋହ ଅନ୍ତର୍ଜାତୀୟ ଯୋଗ ସମ୍ମିଳନୀ ସହ ସମନ୍ୱିତ ହେବ।
  • ପ୍ରତ୍ୟେକ ପୁରସ୍କାରର ମୂଲ୍ୟ 25 ଲକ୍ଷ ଟଙ୍କା ହେବ
  • ଯୁଗ୍ମ ବିଜେତାଙ୍କ କ୍ଷେତ୍ରରେ ପୁରସ୍କାର ବିଜେତାଙ୍କ ମଧ୍ୟରେ ବାଣ୍ଟି ଦିଆଯିବ

ଆବେଦନ ପ୍ରକ୍ରିୟା

ସମସ୍ତ କ୍ଷେତ୍ରରେ ସମ୍ପୂର୍ଣ୍ଣ ହୋଇଥିବା ଏକ ଆବେଦନ ପ୍ରତ୍ୟକ୍ଷ ଭାବେ ପ୍ରତିଯୋଗୀଙ୍କ ଦ୍ୱାରା କରାଯାଇପାରିବ କିମ୍ବା ସେମାନଙ୍କୁ ଏହି ପୁରସ୍କାର ପ୍ରକ୍ରିୟାରେ ବିଚାର ପାଇଁ ଏକ ପ୍ରମୁଖ ଯୋଗ ସଙ୍ଗଠନ ଦ୍ୱାରା ମନୋନୀତ କରାଯାଇପାରେ।

ଏହି ନିର୍ଦ୍ଦେଶାବଳୀର ଧାରା 4ରେ ଉଲ୍ଲେଖ କରାଯାଇଥିବା ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ସମସ୍ତ ସଂସ୍ଥା ପାଇଁ ଆବେଦନ ଉଦ୍ଦିଷ୍ଟ ରହିଛି। ଆବେଦନ/ନାମାଙ୍କନ କେବଳ (ମାଇଁଗଭ୍ ପ୍ଲାଟଫର୍ମ) ମାଧ୍ୟମରେ ଦାଖଲ କରାଯାଇପାରିବ। ଏଥିପାଇଁ ଆୟୁଷ ମନ୍ତ୍ରଣାଳୟର ୱେବ୍‌ସାଇଟ୍ ଏବଂ ଜାତୀୟ ପୁରସ୍କାର ପୋର୍ଟାଲରେ ମଧ୍ୟ ଲିଙ୍କ ଉପଲବ୍ଧ ହେବ।

ଜଣେ ପ୍ରତିଯୋଗୀ କେବଳ ଗୋଟିଏ ପୁରସ୍କାର ବର୍ଗ ପାଇଁ ମନୋନୀତ ହୋଇପାରିବେ ଯାହାକି ଜାତୀୟ ପୁରସ୍କାର କିମ୍ବା ଅନ୍ତର୍ଜାତୀୟ ପୁରସ୍କାର ହେବ।

ଯୋଗ୍ୟତା

ଯୋଗର ପ୍ରଚାର ପ୍ରସାର ଏବଂ ବିକାଶ ଦିଗରେ ଉଲ୍ଲେଖନୀୟ ଯୋଗଦାନ ଦେଉଥିବା ସଂସ୍ଥାଗୁଡ଼ିକୁ ସ୍ୱୀକୃତି ଓ ସମ୍ମାନ ଦେବା ହେଉଛି ପୁରସ୍କାରର ଉଦ୍ଦେଶ୍ୟ।

ଏହି ପରିପ୍ରେକ୍ଷୀରେ, ଏହି ପୁରସ୍କାର ପାଇଁ ପ୍ରତିଯୋଗୀ/ନୋମିନି ବ୍ୟକ୍ତିବିଶେଷଙ୍କର ଯୋଗ ସମ୍ବନ୍ଧରେ ସମୃଦ୍ଧ ଅଭିଜ୍ଞତା ଏବଂ ଗଭୀର ଜ୍ଞାନ ରହିବା ଆବଶ୍ୟକ।

ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ବର୍ଗ ପାଇଁ ବ୍ୟକ୍ତିଗତ ବର୍ଗରେ ପ୍ରତିଯୋଗୀ/ନୋମିନିଙ୍କ ସର୍ବନିମ୍ନ ଯୋଗ୍ୟତା ବୟସ 40 ବର୍ଷ।

ସର୍ବନିମ୍ନ ୨୦ (କୋଡ଼ିଏ) ବର୍ଷର ସେବା ଯେଉଁଥିରେ ଏକ ନିଖୁଣ ଟ୍ରାକ୍ ରେକର୍ଡ ଏବଂ ଯୋଗର ପ୍ରଚାର ଓ ବିକାଶରେ ଉଲ୍ଲେଖନୀୟ ଅବଦାନ ରହିଥିବ ।

ସ୍କ୍ରିନିଂ କମିଟି

ପ୍ରତ୍ୟେକ ବର୍ଷ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଗଠିତ ସ୍କ୍ରିନିଂ କମିଟି ଦ୍ୱାରା ସମସ୍ତ ଆବେଦନ/ନାମାଙ୍କନର ସ୍କ୍ରିନିଂ କରାଯିବ। ସ୍କ୍ରିନିଂ କମିଟିରେ ଜଣେ ଅଧ୍ୟକ୍ଷଙ୍କ ସମେତ 4 ଜଣ ସଦସ୍ୟ ରହିବେ।

  • ସ୍କ୍ରିନିଂ କମିଟି ମନ୍ତ୍ରଣାଳୟ ଦ୍ୱାରା ଗ୍ରହଣ କରାଯାଇଥିବା ସମସ୍ତ ଆବେଦନ/ନାମାଙ୍କନ ଉପରେ ବିଚାର କରିବ
  • ସ୍କ୍ରିନିଂ କମିଟି ପ୍ରତ୍ୟେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଁ ସର୍ବାଧିକ 50 ଜଣଙ୍କ ନାମ ସୁପାରିସ କରିବ।

ସ୍କ୍ରିନିଂ କମିଟି 3 ଜଣ ସରକାରୀ ସଦସ୍ୟଙ୍କୁ ନେଇ ଗଠିତ ହେବ ସେମାନେ ହେଲେ:

i. ସଚିବ ଆୟୁଷ - ଅଧ୍ୟକ୍ଷ

ii. ନିର୍ଦ୍ଦେଶକ, CCRYN - ସଦସ୍ୟ

iii. ନିର୍ଦ୍ଦେଶକ, MDNIY - ସଦସ୍ୟ

ଆୟୁଷ ସଚିବଙ୍କ ଦ୍ୱାରା ଜଣେ ଅଣସରକାରୀ ବ୍ୟକ୍ତିଙ୍କୁ ଏହି କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇପାରେ।

ମୂଲ୍ୟାୟନ କମିଟି (ଜୁରି)

ମୂଲ୍ୟାୟନ କମିଟି (ବିଚାରକମଣ୍ଡଳୀ)ରେ ଜଣେ ଅଧ୍ୟକ୍ଷଙ୍କ ସମେତ 7 ଜଣ ସଦସ୍ୟ ରହିବେ। ଏହି ବିଚାରକ ମଣ୍ଡଳୀରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱ ରହିବେ, ଯେଉଁମାନେ କି ପ୍ରତିବର୍ଷ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ମନୋନୀତ ହେବେ। ସ୍କ୍ରିନିଂ କମିଟି ଯେଉଁ ନାଁ ପ୍ରସ୍ତାବ ଦେଇଛି ତାହାକୁ ବିଚାରକମଣ୍ଡଳୀ ବିଚାର କରିବେ । ଏହା ମଧ୍ୟ ନିଜ ଇଚ୍ଛାରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ମନୋନୀତ କରିପାରେ।

ମୂଲ୍ୟାୟନ କମିଟି (ବିଚାରକମଣ୍ଡଳୀ)ରେ 4 ଜଣ ସରକାରୀ ସଦସ୍ୟ ରହିବେ

କ୍ୟାବିନେଟ୍ ସଚିବ - ଅଧ୍ୟକ୍ଷ
ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା - ସଦସ୍ୟ
ବୈଦେଶିକ ସଚିବ - ସଦସ୍ୟ
ସଚିବ, ଆୟୁଷ - ସଦସ୍ୟ ସଚିବ

କ୍ୟାବିନେଟ ସଚିବ ଏହି କମିଟିରେ ତିନି ଜଣ ଅଣ-ଅଧିକାରୀଙ୍କୁ ସଦସ୍ୟ ଭାବେ ମନୋନୀତ କରିପାରିବେ।

ମୂଲ୍ୟାୟନ ମାନଦଣ୍ଡ

  • ଜ୍ଞାନର ବୃଦ୍ଧିରେ ଅବଦାନ।
  • ମାନସିକ, ଶାରୀରିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟର ଏକ ମାଧ୍ୟମ ଭାବେ ଜନସାଧାରଣଙ୍କ ମଧ୍ୟରେ ଯୋଗର ପ୍ରସାର ପାଇଁ ଯୋଗଦାନ।
  • ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ଦ୍ୱାରା ସମାଜ ଉପରେ ଏହାର ପ୍ରଭାବ।
ମୂଲ୍ୟାୟନ ନିର୍ଦ୍ଦେଶାବଳୀ
  • ଉଭୟ ବର୍ଗର ପୁରସ୍କାର ପାଇଁ ବିଚାରକମଣ୍ଡଳୀ ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଭାବେ କାର୍ଯ୍ୟ କରିବେ।
  • ଯେକୌଣସି ପ୍ରତିଯୋଗୀଙ୍କୁ ମନୋନୀତ କରିବାର ଅଧିକାର ବିଚାରକମଣ୍ଡଳୀର ରହିଛି।
  • ମୂଲ୍ୟାୟନ ସମୟରେ ପ୍ରତିଯୋଗୀ ଉପରୋକ୍ତ ମାନଦଣ୍ଡକୁ କେତେ ସମୟ ପର୍ଯ୍ୟନ୍ତ ପ୍ରଦର୍ଶନ କରିଛନ୍ତି ତାହା ଏକ ମୁଖ୍ୟ ମାନଦଣ୍ଡ ହେବ।
  • ଯଦି ବିଚାରକମଣ୍ଡଳୀର କୌଣସି ସଦସ୍ୟଙ୍କ ନିକଟ ସମ୍ପର୍କୀୟଙ୍କର ନିର୍ଦ୍ଦିଷ୍ଟ ପ୍ରତିଯୋଗୀଙ୍କ ସହିତ କୌଣସି ସମ୍ପର୍କ ଥାଏ ତେବେ ସେ ବିଚାରକମଣ୍ଡଳୀରେ ସାମିଲ ହୋିପାରିବେ ନାହିଁ ଏବଂ ଏହି ପ୍ରକ୍ରିୟାରୁ ନିଜକୁ ନିବୃତ ରଖିବାର ଅଧିକାର ତାଙ୍କ ପାଖରେ ରହିବ ।
  • ବୈଠକର ବିଚାରବିମର୍ଶ ସମ୍ପର୍କରେ ବିଚାରକମଣ୍ଡଳୀର ସଦସ୍ୟମାନେ ଦୃଢ଼ ଗୋପନୀୟତା ରକ୍ଷା କରିବେ।
  • ବିଚାରକମଣ୍ଡଳୀର ସଦସ୍ୟମାନଙ୍କୁ ପ୍ରତିଯୋଗୀଙ୍କ ଦ୍ୱାରା ଦାଖଲ ଯୋଗ୍ୟତା ଦସ୍ତାବିଜର ଏକ ନକଲ ପ୍ରଦାନ କରାଯିବ।
  • ସମସ୍ତ ଜୁରୀ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ।
  • ବିଚାରକମଣ୍ଡଳୀର ପ୍ରତ୍ୟେକ ବୈଠକକୁ ରେକର୍ଡ କରାଯିବ ଏବଂ ସମସ୍ତ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ମିନିଟ୍ ସ୍ୱାକ୍ଷର କରାଯିବ।
  • ଯଦି ବିଚାରକମଣ୍ଡଳୀର କୌଣସି ସଦସ୍ୟ ବୈଠକରେ ଯୋଗ ଦେଇପାରୁନାହାନ୍ତି ତେବେ ସେ ଲିଖିତ ଭାବେ ନିଜର ପସନ୍ଦ ଜଣାଇପାରିବେ।
  • ବିଚାରକମଣ୍ଡଳୀର ଅଧ୍ୟକ୍ଷ ଆବଶ୍ୟକସ୍ଥଳେ ସ୍ୱତନ୍ତ୍ର କ୍ଷେତ୍ରର ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ।
  • ବିଚାରକମଣ୍ଡଳୀର ନିଷ୍ପତ୍ତି ଚୂଡ଼ାନ୍ତ ଓ ସର୍ବମାନ୍ୟ ହେବ ଏବଂ ସେମାନଙ୍କ ନିଷ୍ପତ୍ତି ନେଇ କୌଣସି ଆବେଦନ କିମ୍ବା ପତ୍ର ବିନିମୟ ଗ୍ରହଣ କରାଯିବ ନାହିଁ।
  • ପ୍ରତିବର୍ଷ ପୁରସ୍କାର ଚୂଡ଼ାନ୍ତ କରିବା ପାଇଁ ବିଚାରକମଣ୍ଡଳୀ ନିଜସ୍ୱ ପ୍ରକ୍ରିୟା ନିର୍ଦ୍ଧାରଣ କରିପାରନ୍ତି।

ସାଧାରଣ ନିୟମ ଓ ସର୍ତ୍ତାବଳୀ

  • ପ୍ରତିଯୋଗୀ ଯଦି ଚିଠି ଲେଖି, ଇମେଲ୍ ପଠାଇ, ଟେଲିଫୋନ୍ କଲ୍ କରି, ବ୍ୟକ୍ତିଗତ ଭାବେ ନିକଟତର ହୋଇ କିମ୍ବା ଏନେଇ ଅନ୍ୟ କୌଣସି ଅନୁରୂପ କାର୍ଯ୍ୟକଳାପ ଦ୍ୱାରା ବିଚାରକମଣ୍ଡଳୀର କୌଣସି ସଦସ୍ୟଙ୍କୁ ପ୍ରଭାବିତ କରୁଥିବା ଜଣାପଡ଼େ ତେବେ ପ୍ରତିଯୋଗୀ ଆଜୀବନ ଅଯୋଗ୍ୟ ବିବେଚିତ ହେବେ। ଏହି ଅଯୋଗ୍ୟତା ଫଳରେ ଅଯୋଗ୍ୟ ଘୋଷିତ ବ୍ୟକ୍ତିଙ୍କର କାର୍ଯ୍ୟ ଏହି ପୁରସ୍କାର ପାଇଁ ଯୋଗ୍ୟ ହେବ ନାହିଁ।
  • ସେହିପରି ପ୍ରତିଯୋଗୀଙ୍କ ପକ୍ଷରୁ ଦିଆଯାଇଥିବା କୌଣସି ତଥ୍ୟ ଯଦି କୌଣସି ଉପାୟରେ ଭୁଲ୍, ବିଭ୍ରାନ୍ତିକର କିମ୍ବା ମିଥ୍ୟା ପ୍ରମାଣିତ ହୁଏ ତେବେ ପ୍ରତିଯୋଗୀଙ୍କୁ ତିନି ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରାଯାଇପାରେ।
  • ପ୍ରତିଯୋଗୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଗୋପନୀୟ ବୋଲି ବିବେଚନା କରାଯିବ ଏବଂ କେବଳ ସେମାନଙ୍କର ଯୋଗ୍ୟତା ନିର୍ଦ୍ଧାରଣ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ।
  • ଏଣ୍ଟ୍ରି ଫର୍ମରେ ନିର୍ଦ୍ଦିଷ୍ଟ ସୂଚନା ଦେବା ସମୟରେ ସଂସ୍ଥା ସମ୍ପୂର୍ଣ୍ଣ ଡାକ ଠିକଣା, ଇ-ମେଲ୍ ଠିକଣା, ଟେଲିଫୋନ୍ ନମ୍ବର, ମୋବାଇଲ୍ ଫୋନ୍ ନମ୍ବର ଏବଂ ଫ୍ୟାକ୍ସ ନମ୍ବର (ଯଦି ଥାଏ) ଯେପରି ଠିକ୍ ଭାବେ ପୂରଣ ହୋଇଥିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।
  • ଦାଖଲ ହୋଇଥିବା ଦସ୍ତାବିଜ ଉପରେ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ମାଗିପାରେ।
  • ଆବେଦନ ଗ୍ରହଣର ଆରମ୍ଭ ତାରିଖ ହେଉଛି 04/05/2024 ଏବଂ ଏଣ୍ଟ୍ରି ଦାଖଲ କରିବାର ଶେଷ ତାରିଖ ହେଉଛି 30/06/2024। ଦାଖଲ କରିବାର ଶେଷ ତାରିଖ ପରେ ମିଳିଥିବା କୌଣସି ଏଣ୍ଟ୍ରିକୁ ପ୍ରତ୍ୟାଖ୍ୟାନ କରିବାର ଅଧିକାର ମନ୍ତ୍ରଣାଳୟ ପାଖରେ ରହିଛି।
  • କୌଣସି ଅଭିଯୋଗ ଥିଲେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ସଚିବଙ୍କ ଦ୍ୱାରା ତାହାର ସମାଧାନ କରାଯିବ, ଯାହାଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଓ ସର୍ବମାନ୍ୟ ହେବ।

ଅସ୍ୱୀକରଣ

ଦୟାକରି ଧ୍ୟାନର ସହ ଏହି ଫର୍ମକୁ ପୂରଣ କରନ୍ତୁ। ଆବେଦନ ପତ୍ରର ପ୍ରତ୍ୟେକ ସ୍ତମ୍ଭର ସବିଶେଷ ବିବରଣୀ ପୁରସ୍କାର ନିର୍ଦ୍ଧାରଣ ଉଦ୍ଦେଶ୍ୟରେ ଚୂଡ଼ାନ୍ତ ବୋଲି ବିବେଚନା କରାଯିବ। କୌଣସି ପର୍ଯ୍ୟାୟରେ ବିବରଣୀ ପରିବର୍ତ୍ତନ ପାଇଁ କୌଣସି ଅନୁରୋଧ ଗ୍ରହଣ କରାଯିବ ନାହିଁ।